ଦର୍ଶକବନ୍ଧୁ ଆଜିକାଲି ଫାଷ୍ଟଫୂଡ଼ ଦୋକାନରେ ଗହଳି ଲାଗୁଥିବାର ଆପଣ ଦେଖୁଥିବେ। ଫାଷ୍ଟଫୂଡ଼ ଦୁନିଆଁରେ ଲୋକମାନେ ପୁଷ୍ଟିକର ଖାଦ୍ୟକୁ ଭୁଲିଗଲେଣି। ଭୁଲିଯିବା ବି ସ୍ୱାଭାବିକ କଥା, କାହିଁକି ନା ଏବେକାର ଗୁପଚୁପ, ଦହିବରା, ଚାଓମିନ, ବିରିୟାନି, ପିଜା ଆଉ ବର୍ଗର ଆଗରେ ସବୁକିଛି ଯେମିତି ଫିକା ପଡିଯାଉଛି । ସେ କାଳର ସେଇ ଝାଲମୁଢି,ଗଜାମୁଗ,ସିଝାଚଣା, ଚଟପଟି ଆଉ ବାରମଜା କେମିତି ବା ତିଷ୍ଠିପାରିଥାନ୍ତା ! ଏମିତି ବି ଲୋକମାନଙ୍କ ମନ ମୋହିବାକୁ ବଜାରରରେ କୁରକୁରେ କମ୍ପାନୀ ମାନେ ପ୍ରତିଯୋଗିତା ଆରମ୍ଭ କରିଦେଲେଣି। ଅନେକ ଲୋକ ତେଲଭାଜି ଆଡ଼କୁ ଆଶକ୍ତ ହେଉଥିବାର ଆପଣ ଦେଖିଥିବେ ନିଶ୍ଚୟ। ଆଗଭଳି ଗାଁରେ ଚଟପଟି ଆଉ ବାରମଜାର ବୁଲାବିକାଳି ଦେଖିବାକୁ ମିଳୁନଥିବାବେଳେ ଯାଜପୁର ଅଂଚଳରେ କିନ୍ତୁ ରହିଛି ସେଇ ପୁରୁଣାକାଳିଆ ବାରମଜାର ବେଶ ଚାହିଦା। ଦେଖୁନାହାନ୍ତି ଏଇ ଦୃଶ୍ୟକୁ ଜଣେ ମଉସା କେମିତି ତାଙ୍କ ବାରମଜା ସରଞ୍ଜାମକୁ ନେଇ ଗାଁରେ ବିକ୍ରିକରିବାକୁ ବାହାରିଛନ୍ତି ।ଯେତେବେଳେ ଗାଁ ଦାଣ୍ଡରେ ଏଇ ବାରମଜା ବିକାଳୀ ଅଲେଖ ଅଜାଙ୍କ ଡାକ କାନରେ ବାଜେ ସେତେବେଳେ ଅନେକଙ୍କ ମୁହଁରେ ଲାଳ ଆସିଯାଏ। ସେଇ ମଟର, ଆଳୁ,ବାଦାମ,ପିଆଜ, ଖଟା ଆଉ ଲଙ୍କାଜିରାଗୁଣ୍ଡରେ ପାଗ ହୋଇଥିବା ବାର ମଜାର ବାସ୍ନା ଧର୍ଷେଇ ପଶିଯାଏ ଏରୁଣ୍ଡି ଭିତରକୁ। ଆଉ ପିଲାଠୁ ବୁଢ଼ାଯାଏ ଧାଇଁ ଆସନ୍ତି ଅଲେଖ ଅଜାଙ୍କ ପାଖକୁ।ଟିକି ଟିକି ଆଳୁ ସାଙ୍ଗକୁ ସିଝାମଟର, ଆଉ ତ ସାଙ୍ଗକୁ ଚୁନି ଚୁନି ପିଆଜ । ଆଉ ଟିକେ ଖଟା ଦିଅ ତ ଆଉ କିଏ କହେ ଅଜା ଆଉ ଟିକେ ରାଗ ଦିଅ । ଏମିତି ବେଶ୍ ମଜା ନିଅନ୍ତି ବାରମଜାର ।ଅଜାଙ୍କ ସ୍ନେହ ବି କିଛି କମ୍ ନ ଥାଏ ପିଲାମାନଙ୍କ ପ୍ରତି। ଗ୍ରାହକ ମାନଙ୍କୁ ସମ୍ମାନ ଦେବାରେ କେବେହେଲେ ଅବହେଳା କରିନଥାନ୍ତି ଏହି ଅଲେଖ ଅଜା।

ତେବେ ଦର୍ଶକବନ୍ଧୁ ଏ ଅଲେଖ ଅଜା ଜଣକ ହେଉଛନ୍ତି ଯାଜପୁର ବ୍ଲକ ଅଧିନସ୍ଥ ମାର୍କଣ୍ଡପୁର ପଂଚାୟତର ବାସିନ୍ଦା। ବାରମଜା ବିକି ପରିବାର ପ୍ରତିପୋଷଣ କରିଥାନ୍ତି ସେ। ବୟସ ଆସି ୭୦ ରେ ପହଞ୍ଚି ଥିଲେ ବି ସେ ନିଜକୁ କେବେ ଅସହାୟ ମଣିନାହାନ୍ତି। ସେ ଆଜିକୁ ୨୫ ବର୍ଷହେବ ଗଡ଼େଇ ଚାଲିଛନ୍ତି ତାଙ୍କର ସେଇ ବାରମଜା ପେଟି ବନ୍ଧା ଶୁନୁଗାଡିକୁ । ଆଉ ବାଣ୍ଟି ଚାଲିଛନ୍ତି ସ୍ନେହ ଆଦର ଭରା ବାର ମଜାକୁ। ଗ୍ରାହକଙ୍କୁ ଡାକ ମାରିଚାଲିଛନ୍ତି , ବାବାରେ ମଜା , ଯେତେ ଖାଇବ ସେତେ ମଜା । ଅନ୍ୟପଟେ ଡାକ୍ତରମାନେ କୁହନ୍ତି କି ତେଲ ଜାତୀୟ ଫାଷ୍ଟଫୂଡ଼ ହି ମଣିଷ ପାଇଁ ରୋଗର ଆବାହକ। ଅନେକ ଡାକ୍ତର ମଧ୍ୟ ରୋଗୀଙ୍କୁ ଫାଷ୍ଟଫୁଡ଼ ଠାରୁ ଦୂରେଇ ରହିବାକୁ ଅନେକ ସମୟରେ ପରାମର୍ଶ ଦେଇଥାନ୍ତି । ଗୋଟେପଟେ ଡାକ୍ତରମାନଙ୍କ ପରାମର୍ଶ ଆଉ ଅନ୍ୟପଟେ ପାଟିର ଲାଳସା ଆଗରେ ଆଜିର ସମାଜ ଅଲେଖ ଅଜାଙ୍କ ବାରମଜା ଆଉ ବଜାରରେ ମିଳୁଥିବା ଚାଇନିସ ଖାଦ୍ୟ ବା ଫାଷ୍ଟଫୁଡ଼ କୁ ନିକିତିରେ ତୋଉଲିବାରେ କେତେଦୂର ସମର୍ଥ ହେଉଛନ୍ତି ତାହା ହିଁ ଦେଖିବାକୁ ବାକିରହିଲା ।
ଯାଜପୁରରୁ ଦିଲ୍ଲୀପ ଶଙ୍କର ବେହେରାଙ୍କ ରିପୋର୍ଟ times of Kalinga।