ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ଼ ବ୍ଲକ ଅଧ୍ୟକ୍ଷାଙ୍କ ନାମରେ ଆସିଥିବା ଅନାସ୍ଥା ଆଜି କୋରମ ଅଭାବରୁ ରଦ୍ଦ ହୋଇଛି l ବିଜେପି ଗଡ଼ରେ ପଦ ବଜାୟ ରଖିଲା ବିଜେଡି ସମର୍ଥିତ ବ୍ଲକ ଅଧ୍ୟକ୍ଷା ଚାରୁଲତା ମିଶ୍ର l ଗତ କିଛିମାସ ତଳେ ବିଜେଡି ସମର୍ଥିତ କଙ୍କଡାହାଡ଼ ବ୍ଲକ ଅଧ୍ୟକ୍ଷା ଚାରୁଲତା ମିଶ୍ରଙ୍କ ନାମରେ ବ୍ଲକର କିଛି ସରପଞ୍ଚ ଓ ସମିତିସଭ୍ୟ କାମାକ୍ଷାନଗର ଉପଜିଲ୍ଲାପାଳଙ୍କ ନିକଟରେ ଅନାସ୍ଥା ପ୍ରସ୍ତାବ ଆଗତ କରିଥିଲେ l ଯାହାକୁ ନେଇ ଆଜି ଉପଜିଲ୍ଲାପାଳଙ୍କ ନିର୍ଦେଶ କ୍ରମେ କଙ୍କଡାହାଡ଼ ବ୍ଲକ କାର୍ଯ୍ୟାଳୟରେ ଅନାସ୍ଥା ସମ୍ପର୍କିତ ଭୋଟ ଆଗତ ପାଇଁ ଧାର୍ଯ୍ୟ କରାଯାଇଥିଲା l କିନ୍ତୁ ଆଜି ଅନାସ୍ଥା ବେଳେ ମାତ୍ର ଜଣଙ୍କୁ ଛାଡି ଆଉ କୌଣସି ସରପଞ୍ଚ, ସମିତିସଭ୍ୟ ବ୍ଲକ କାର୍ଯ୍ୟାଳୟରେ ପହଞ୍ଚି ନଥିଲେ l ଯାହାକୁ ନେଇ ନିର୍ଦ୍ଧାରିତ ସମୟ ପରେ ନିର୍ବାଚନ ଦାୟିତ୍ୱରେ ଥିବା କଙ୍କଡାହାଡ଼ ତହସିଲଦାର ସୌଦାମିନୀ ନାୟକ କୋରମ ଅଭାବରୁ ଅନାସ୍ଥା ରଦ୍ଦ ହେବା ସହ ବିଜେଡି ସମର୍ଥିତ ବ୍ଲକ ଅଧ୍ୟକ୍ଷା ଚାରୁଲତା ପଦ ବଜାୟ ରଖିବା ନେଇ ସୂଚନା ଦେଇଛନ୍ତି l ଫଳରେ ବିଜେପିର ଗଡ଼ କୁହାଯାଉଥିବା କଙ୍କଡାହାଡ଼ ବ୍ଲକରେ ବିଜେଡି ପୁଣି ଥରେ ପଦ ବଜାୟ ରଖିଛି l ସୂଚନା ଅନୁସାରେ କଙ୍କଡାହାଡ଼ ବ୍ଲକ ପରଜଙ୍ଗ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ହୋଇଥିବା ବେଳେ ବର୍ତମାନର ପରଜଙ୍ଗ ବିଧାୟକ ବିଭୁତି ଭୂଷଣ ପ୍ରଧାନ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମ୍ପର୍କୀୟ ଭାଇ ଅଟନ୍ତି l ପୂର୍ବରୁ ଧର୍ମେନ୍ଦ୍ର ଏହି ଅଞ୍ଚଳରୁ ନିର୍ବାଚିତ ହୋଇଥିବା ବେଳେ ଏହି ଅନାସ୍ଥା ରଦ୍ଦ ହେବା ବିଜେପିକୁ ବଡ଼ ଝଟକା ଦେଇଛି।