ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ୍ ଅଧିନସ୍ଥ ଗଣ୍ଡାହାତୀ ସରକାରୀ ଉଚ୍ଚ ବିଦ୍ୟାଳୟରେ ଜିଲ୍ଲା ସ୍ତରୀୟ ଭାରତ ସ୍କାଉଟ୍ ଆଣ୍ଡ ଗାଇଡ କ୍ୟାମ୍ପୋରୀ ଶୁକ୍ରବାର ଉଦଘାଟିତ ହୋଇଯାଇଛି। ଜିଲ୍ଲା ଶିକ୍ଷା ଅଧିକାରୀ ଡଃ. ମାୟାଧର ସାହୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ଯକ୍ରମରେ ମୁଖ୍ୟ ଅତିଥି ଭାବେ ପାରଳାଖେମୁଣ୍ଡି ବିଧାୟକ ଇଂ. ରୁପେଶ ପାଣିଗ୍ରାହୀ, ବିଶିଷ୍ଟ ଅତିଥି ଭାବେ ଜିଲ୍ଲାପାଳ ବିଜୟ କୁମାର ଦାସ ଯୋଗ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଡିଏଫ୍ଓ ଏସ୍. ଆନନ୍ଦ, ବ୍ଲକ ଉପାଧ୍ଯକ୍ଷ ଜ୍ଯୋତି ପ୍ରସାଦ ପାଣି, ଏବିଇଓ ଏସ୍. ପାପା ରାଓ, ଜିଲ୍ଲା ସ୍କାଉଟ କମିଶନର ପ୍ରଫୁଲ କୁମାର ମହାନ୍ତି, ଜିଲ୍ଲା ଗାଇଡ୍ କମିଶନର ଏସ୍.ମଣିମାଳା ପ୍ରମୁଖ ମଞ୍ଚାସୀନ ଥିଲେ । ଉତ୍ତମ ଚରିତ୍ର ଗଠନ ଏବଂ ସେବା ମନୋବୃତ୍ତି ଜାଗ୍ରତ ଭାରତ ସ୍କାଉଟ ଗାଇଡର ମୂଳ ଲକ୍ଷ୍ୟ, ଭାରତ ସ୍କାଉଟ ଓ ଗାଇଡ ଏକ ସର୍ବବୃହତ ସ୍ୱେଚ୍ଛାସେବୀ ସଂଗଠନ ଭାବରେ ବିଶ୍ୱରେ ପରିଚିତ । ଦେଶର ବିଭିନ୍ନ ସମସ୍ୟା ସମାଧାନ ଦିଗରେ ଏକ ଉତ୍ତମ ନାଗରିକ ଗଠନ କରି ତାହା ମାଧ୍ୟମରେ ସମାଜରେ ପରିବର୍ତ୍ତନ ଆଣିବାକୁ ଏହା ଚେଷ୍ଟା କରିଥାଏ ବୋଲି ମଞ୍ଚାସୀନ ଅତିଥିମାନେ ନିଜ ନିଜ ବକ୍ତବ୍ୟରେ କହିଥିଲେ । ଏହା ସହ ଏହି ସାମାଜିକ ସଂଗଠନ ପ୍ରାଥମିକ ବିଦ୍ୟାଳୟ ସ୍ତରରେ କପ ଓ ବୁଲ ବୁଲ, ମାଧ୍ୟମିକ ବିଦ୍ୟାଳୟ ସ୍ତରରେ ସ୍କାଉଟ ଓ ଗାଇଡ୍ ଏବଂ ମହା ବିିଦ୍ୟାଳୟସ୍ତରେ ରୋଭେର ମାଧମରେ ଏହି ସଂଗଠନ କାର୍ଯ୍ୟକରିଥାଏ ବୋଲି କୁହାଯାଇଛି । ଆଜିର ଏହି କାର୍ଯ୍ୟକ୍ରମରେ ଜିଲ୍ଲାର ବିଭିନ୍ନ ବିଦ୍ୟାଳୟରୁ ୩୦୫ ଜଣ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ତିନିଦିନ ଧରି ଉକ୍ତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ବୋଲି ଜଣାପଡିଛି l ଏହି କାର୍ଯ୍ୟକ୍ରମକୁ ଭାରତ ସ୍କାଉଟ୍ ଓ ଗାଇଡ୍ ଆବାହକ ସୁରେନ୍ଦ୍ର କୁମାର ପାତ୍ର ଓ ସ୍ଥାନୀୟ ଉଚ୍ଚ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ଶିକ୍ଷକ ସୌମ୍ଯ ରଂଜନ ସାହୁ ପରିଚାଳନା କରିଥିଲେ l
ଗଜପତି ଜିଲ୍ଲା ରାୟଗଡ଼ ବ୍ଲକ ରୁ ସୌମ୍ଯ ରଂଜନ ପଟ୍ଟନାୟକଙ୍କ ରିପୋର୍ଟ