କଳିଙ୍ଗ ଉତ୍କଳ ନୌବାଣିଜ୍ୟ ପରମ୍ପରାର ସୁବର୍ଣ୍ଣ ସ୍ମାରକୀ ବହନ କରିଥିବା ଐତିହାସିକ କଳିଙ୍ଗ ପ୍ରବେଶ ପଥ ଚାନ୍ଦବାଲି ଏବେ ବିପର୍ଯ୍ୟସ୍ତ , ବିଶ୍ଵ ବିସ୍ମୟ ଭିତର କନିକା ପ୍ରବେଶ ଦ୍ଵାର ଓ ଓଡ଼ିଶାର ଏକ ମାତ୍ର ନଦୀ ବନ୍ଦର ଚାନ୍ଦବାଲି ଆଜି ବିପର୍ଯ୍ୟସ୍ତ ର ଦ୍ଵାର ଦେଶରେ। ବନ୍ଦର ସ୍ମୃତି ଇତିହାସ ର କାଳ ଗର୍ଭରେ ଲୀନ ହୋଇଯାଇଛି। ବୋଇତ ରାଣୀ ବୈତରଣୀ ବିଳାପ କରୁଛି। ଅନ୍ତର୍ଦେଶୀୟ ଜଳ ପରିବହନ ଓ ଲଞ୍ଚ ସେବା ମଧ୍ୟ ବିପର୍ଯ୍ୟସ୍ତ। ଏକଦା ଏହି ପଥ ଦେଇ କଲିକତା କୁ ଉତ୍କଳ ଗୌରବ ମଧୁସୁଦନ ଦାସ ଯାତ୍ରା କରିଥିବା ବେଳେ କଲିକତାରୁ ମା ଶାରଦା ଦେବୀ ଆସିଥିଲେ। ଯାହାର ଇତିହାସ ମୂକ ସାକ୍ଷୀ ହୋଇ ରହିଛି। ଅପର ପକ୍ଷରେ ଅତୀତରେ ଚାନ୍ଦବାଲିରୁ ଶୈବ ପୀଠ ଆରଡ଼ି, ଶକ୍ତି ପୀଠ ମା ଧାମରାଇ ଓ ରାଜନଗର ତାଳ ଚୁଆ କୁ ମଟର ଲଞ୍ଚ ଯୋଗେ ଯାତ୍ରୀ ଓ ମାଲ୍ ପରିବହନ ହୋଇ ଆସୁଥିଲା। କାଳ କ୍ରମେ ସ୍ଥଳପଥର ଚାହିଦା ଦୃଷ୍ଟିରୁ ଜଳ ପଥରେ ଯାତାୟାତ ଓ ମାଲ୍ ପରିବହନ କ୍ରମଶଃ ହ୍ରାସ ପାଇଲା । ଅଧିକାଂଶ ମଟର ଲଞ୍ଚ ମରାମତି ନ ହୋଇ ଅଚଳ ହୋଇ ପଡ଼ି ରହିଲା। ଏବେ କେବଳ ଭଙ୍ଗା ଦଦରା ଲଞ୍ଚ ଧାମରା କୁ ଯାତାୟାତ କରୁଛି । ଲଞ୍ଚ ଯୋଗେ ଯାତାୟାତ ର ସମସ୍ୟା ଦେଖା ଦେବାରୁ କର୍ମଚାରୀ ମାନେ ଅବସର ନେବା ପରେ ନୂତନ ନିଯୁକ୍ତ ହେଲେ ନାହିଁ। ଧୀରେ ଧୀରେ ଆର୍ଥିକ ସ୍ଥିତି ଦୁର୍ବଳ ହୋଇପଡ଼ିଲା। ରାଜ୍ୟ ସରକାରଙ୍କ ବାଣିଜ୍ୟ ଓ ପରିବହନ ବିଭାଗ ଅଧିକାରୀ ମାନେ ଦୃଷ୍ଟି ନ ଦେବା ଫଳରେ ଐତିହାସିକ କଳିଙ୍ଗ ପ୍ରବେଶ ପଥ ଇତିହାସ ର ବିଷୟ ବସ୍ତୁ ହୋଇ ରହିଗଲା। ଲଞ୍ଚ ଜେଠି କ୍ରମଶଃ ବୈତରଣୀ ରେ ଲୀନ ହେବାକୁ ବସିଲା। ନିକଟ ଅତୀତରେ ରାଜ୍ୟ ସରକାର ଙ୍କ ବାଣିଜ୍ୟ ସଚିବ ଓ କେନ୍ଦ୍ର ସରକାରଙ୍କ ବନ୍ଦର ଜାହାଜ ଚଳାଚଳ ନିର୍ଦ୍ଦେଶକ ଚାନ୍ଦବାଲି ଗସ୍ତ ରେ ଆସି ଘଟଣାର ଅନୁଧ୍ୟାନ କରିଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାର ପୁନରୁଦ୍ଧାର ଦିଗରେ କୌଣସି ପଦକ୍ଷେପ ଗ୍ରହଣ କଲେ ନାହିଁ। ବିଗତ ଚାରିବର୍ଷ ହେଲା ଭୂପେନ ହାଜାରିକ ବୈତରଣୀରେ ଭାସମାନ ଅବସ୍ଥାରେ କାର୍ଯ୍ୟ କ୍ଷମ ନ ହୋଇ ଦୃଶ୍ୟମାନ ହେଉଛି। ଏକଦା ଚାନ୍ଦବାଲି, କନିକା ଓ ଧାମରା ର ସାଧବ ସୌଦାଗର ମାନେ ନୌ ବାଣିଜ୍ୟ କରିବା ପାଇଁ ଏହି ଜଳ ପଥ ଦେଇ ଦରିଆ ପାରି ଦେଶ କୁ ଯାତାୟାତ କରୁଥିଲେ। “ବାଣୀଜୈ ବସତି ଲକ୍ଷ୍ମୀ “ଚାନ୍ଦବାଲି ଧାମରା ର ସାଂସ୍କୃତିକ ପରମ୍ପରା ସୃଷ୍ଟି କରିବା ସଙ୍ଗେ ସଙ୍ଗେ ଓଡ଼ିଶା ଆର୍ଥିକ ବିକାଶ ରେ ସହାୟକ ହୋଇଥିଲା। ସସ୍କୃତି ଗବେଶକ ପ୍ରଫୁଲ୍ଲ କୁମାର ଦାସ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବାରମ୍ବାର ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କଳିଙ୍ଗ ପ୍ରବେଶ ପଥ ଓ ଅନ୍ତର୍ଦେଶୀୟ ଜଳ ପରିବହନ ଲଞ୍ଚ ସେବା ର ସୁଧାର ଆସିପାରିଲା ନାହିଁ। ସଂସ୍କୃତି ପ୍ରିୟ ଓଡ଼ିଶା ସରକାର ଏ ଦିଗରେ ଅନୁସନ୍ଧାନ କରି ଚାନ୍ଦବାଲିର ଅକ୍ଷୟ ସ୍ମାରକୀ କଳିଙ୍ଗ ପ୍ରବେଶ ପଥ ର ହୃତ ଗୌରବ କୁ ଫେରେଇ ଆଣିବା ଦିଗରେ ଉଦ୍ୟମ କରିବା କୁ ଶ୍ରୀ ଦାସ ନିବେଦନ କରିଛନ୍ତି।