୨୬୦ ଆସନ ପାଇଁ ମହାବିକାଶ ଅଘାଡି ମେଣ୍ଟ ମଧ୍ୟରେ ଆପାତତଃ ବୁଝାମଣା ହୋଇଥିଲେ ବି, ବାକି ୨୮ଟି ଆସନ ପାଇଁ କେଁ ଦେଖାଦେଇଛି ।

କନକ ବ୍ୟୁରୋ: ଗୋଟିଏ ପଟେ ନିର୍ବାଚନ ପାଇଁ ଦିନ ପାଖେଇ ଆସିଲାଣି ସେପଟେ କିନ୍ତୁ ଛିଣ୍ଡିପାରୁନି ଆସନ । ୨୬୦ ଆସନ ପାଇଁ ମହାବିକାଶ ଅଘାଡି ମେଣ୍ଟ ମଧ୍ୟରେ ଆପାତତଃ ବୁଝାମଣା ହୋଇଥିଲେ ବି, ବାକି ୨୮ଟି ଆସନ ପାଇଁ କେଁ ଦେଖାଦେଇଛି । ସହମତି ହୋଇପାରିନଥିବା ଏହି ୨୮ ଆସନ ଗୁଡିକ ମୁଖ୍ୟତ ବିଦର୍ଭ ମୁମ୍ବାଇ ଅଞ୍ଚଳରେ ରହିଛି ।

ମୁମ୍ବାଇର ଭର୍ସୋବା, ବାଇକୁଲା, ଘଟକପୁରା । ଏହି ଆସନ ଗୁଡିକ ଉଭୟ ଉଦ୍ଧବ ଠାକରେଙ୍କ ଶିବସେନା ଓ କଂଗ୍ରେସ ଦାବି କରୁଛନ୍ତି । ମୁମ୍ବାଇ ଅଞ୍ଚଳରେ ୩୬ ଆସନ ମଧ୍ୟରୁ କଂଗ୍ରେସ ୧୫ଟି,ଶିବସେନା ୧୭ଟି ଓ ଏନସିପି ୩ଟି ଆସନରେ ପ୍ରତିଦ୍ବନ୍ଦିତା କରିବାର  ନିଷ୍ପତି ହୋଇଛି ।

କଂଗ୍ରେସ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଅକ୍ଟୋବର ୨୦ରେ ପ୍ରକାଶ ପାଇବାରେ ସମ୍ଭାବନା ରହିଛି । ଏହା ମଧ୍ୟରେ ସମାଜବାଦି ପାର୍ଟି ମହାରାଷ୍ଟ୍ରରେ ୧୨ଟି ଆସନ ପାଇଁ ଦାବି କରିଛି । ସେଥିମଧ୍ୟରେ ଉଭୟ ଶିବସେନା ଓ କଂଗ୍ରେସ ଦାବି କରୁଥିବା ମୁମ୍ବାଇର ବାଇକୁଲା ସହ  ଶିବାଜୀ ନଗର,ଭର୍ସୋବା ଓ ଅନୁଶକ୍ତି ନଗର ରହିଛି । ହରିୟାଣା ଇଣ୍ଡିଆ ମେଣ୍ଟ ଅର୍ନ୍ତଗତ ଆପ ଓ ସପା ଅଲଗା ଅଲଗା ଲଢ଼ିବା ଫଳାଫଳ ସମସ୍ତେ ଜାଣନ୍ତି । ଇଣ୍ଡିଆ ତଥା ଏମଭିଏ ଅର୍ନ୍ତଗତ ଶିବସେନା, କଂଗ୍ରେସ ଓ ଏନସିପି ମେଣ୍ଟ ସମାଜବାଦୀ ପାର୍ଟିର ଦାବିକୁ କିଭଳି ଗ୍ରହଣ କରିବେ ତାହା ଉପରେ ନଜର ରହିଛି ।