କନକ ବ୍ୟୁରୋ: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ପ୍ରଥମ ଟେଷ୍ଟ ମ୍ୟାଚରେ ଲଜ୍ଜାଜନକ ପ୍ରଦର୍ଶନ କରିଛନ୍ତି ଭାରତୀୟ ବ୍ୟାଟର । ଭାରତ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମ ଦିନ ବର୍ଷାରେ ଧୋଇଯିବା ପରେ ଆଜି(ଗୁରୁବାର) ଏକ ଭଲ ମ୍ୟାଚ୍ ଦେଖିବାକୁ ମିଳିବ ଆଶା କରୁଥିଲେ ଫ୍ୟାନ୍ସ । ହେଲେ ମ୍ୟାଚ୍ ଆରମ୍ଭରୁ ହିଁ ସବୁ କିଛି ଓଲଟପାଲଟ ହୋଇଯାଇଥିଲା । କାରଣ ମାତ୍ର ୯ ରନ ଦଳୀୟ ସ୍କୋର୍ ବେଳେ ଭାରତ ପ୍ରଥମ ୱିକେଟ ହରାଇଥିଲା ।

ପାଳି ଆରମ୍ଭରୁ ହିଁ ଭାରତୀୟ ବ୍ୟାଟରଙ୍କ ଉପରେ ଚାପ ପକାଇଥିଲେ କିୱି ବୋଲର । ଫଳରେ ଭାରତର ଟପ୍ ଅର୍ଡରରେ ଦୁଇଜଣ ଓ  ମିଡିଲ ଅର୍ଡରରେ ତିନି ଜଣ ବ୍ୟାଟର ଖାତା ଖୋଲିବା ପୂର୍ବରୁ ପାଭିଲିୟନ ମୁହାଁ ହୋଇଥିଲେ । କ୍ୟାପଟେନ ରୋହିତ ଶର୍ମା ମାତ୍ର ଦୁଇ ରନ୍ ହିଁ କରି ପାରିଥିଲେ । ଏହାପରେ ବିରାଟ କୋହଲି, ଓ ସର୍ଫରାଜ ଖାନଙ୍କୁ ଯଥାକ୍ରମେ ଓରୁର୍କି ଓ ହେନରି ଆଉଟ କରଥିଲେ । ସେତେବେଳେକୁ ଭାରତର ସ୍କୋର ମାତ୍ର ୧୦ ରନ ହୋଇଥିଲା ।

ମାତ୍ର ଦୁଇ ଜଣ ବ୍ୟାଟର ଦୁଇ ଅଙ୍କ ବିଶିଷ୍ଟ ସ୍କୋର କରିଥିଲେ ଓପନର ଜୟସ୍ୱାଲ ୧୩ ରନ୍ କରିଥିବା ବେଳେ ୱିକେଟ କିପର ଋଷଭ ପନ୍ତ ୨୦ ରନ୍ ହିଁ କରି ପାରିଥିଲେ । ରବୀନ୍ଦ୍ର ଜାଡେଜା, କେ.ଏଲ ରାହୁଲ ଓ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ଆଉଟ୍ କରିଥିଲେ ଓରୁର୍କି ଓ ହେନରି ।  ଏହିଭଳି ଭାବରେ ଭାରତର ୫ ଜଣ ବ୍ୟାଟର ଖାତା ଖୋଲିବା ପୂର୍ବରୁ ହିଁ ପାଭିଲିୟନ ରାସ୍ତା ଖୋଜିଥିଲେ । ଭାରତୀୟ ଦଳ ମାତ୍ର ୩୧ ଓଭର ହିଁ ଖେଳି ପାରିଛି । ପ୍ରଥମ ପାଳିରେ ଭାରତ ପକ୍ଷରୁ ତୃତୀୟ ସର୍ବାଧିକ ସ୍କୋର୍ କରିଛନ୍ତି ମହମ୍ମଦ ସିରାଜ । ଷଷ୍ଠ ଥର ପାଇଁ କୌଣସି ଟେଷ୍ଟ ମ୍ୟାଚରେ ଭାରତର ୫ ଜଣ ବ୍ୟାଟର ଶୂନରେ ଆଉଟ ହୋଇଛନ୍ତି । ସେହିଭଳି ଟେଷ୍ଟରେ ଭାରତୀୟ ଟିମ ଭାରତରେ ଆଜି ସର୍ବନିମ୍ନ ସ୍କୋର୍ କରିଛନ୍ତି ।

ଦ୍ୱିତୀୟ ଦିନ ଷ୍ଟମ୍ପ୍ ଅପସାରଣ ସୁଦ୍ଧା ନ୍ୟୁଜିଲାଣ୍ଡ ୩ ୱିକେଟ ହରାଇ ୧୮୦ ରନ୍ କରିଛି । ରବୀନ୍ଦ୍ର ଜାଡେଜା, ଅଶ୍ୱିନ ଓ କୁଳଦୀପ ଯାଦବ ଗୋଟିଏ ଲେଖାଏଁ ୱିକେଟ ନେଇଛନ୍ତି । ନ୍ୟୁଜିଲାଣ୍ଡ ପକ୍ଷରୁ ଡେଭନ କନୱେ ସର୍ବାଧିକ ୯୧ ରନ୍ କରିଛନ୍ତି ।